ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନବେଦୀ ଛାଡି ସ୍ନାନବେଦୀକୁ ଆସିଛନ୍ତି ଶ୍ରୀଜିଉ । ଆଜି 108 ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାସ୍ନାନ ପରେ ଗଜ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ।ଏଭଳି ଏକ ମହାନ ପର୍ବରେ ଭକ୍ତମାନେ ନିଜ ପ୍ରଭୁଙ୍କୁ ପାଖରେ ପାଇ ବଡ଼ ଦାଣ୍ଡରେ ବିଭିନ୍ନ ବେଶ ଧାରଣ କରି ନାଚି ଉଠିଛନ୍ତି । ନୟାଗଡ଼ରୁ ଆସିଥିବା ଘନଶ୍ୟାନ ନାମକ ଜଣେ ଭକ୍ତ ହନୁମାନ ବେଶ ଧାରଣ କରି ଶ୍ରୀମନ୍ଦିର ସାମ୍ନାରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଘନଶ୍ୟାନ କହିଛନ୍ତି,"ମୁଁ ଦୀର୍ଘ 30 ବର୍ଷ ହେବ ମହାପ୍ରଭୁଙ୍କ ଅଭଡ଼ା ସେବାରେ ରହିଛି । ଯେତେବେଳେ ମୋ ଦେହରେ ଡ଼ାଲି ପଡ଼ିଯାଇଥିଲା, ସେତେବେଳେ ମୁଁ ପ୍ରଭୁଙ୍କୁ ଜଣାଇଥିଲି ଏବଂ ସୁସ୍ଥ ହୋଇଥିଲି । ସେହି ଦିନଠାରୁ ମୁଁ ଦେବସ୍ନାନ ପୂର୍ଣ୍ଣିମା ହେଉ କି ରଥଯାତ୍ରା ସବୁ ସମୟରେ ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ ଧାରଣ କରିଥାଏ ।"ସେପଟେ ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । 15 ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ ଉପଚାର । ଜ୍ବରରୁ ଭଲ ହେଲା ପରେ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସିବେ ମହାପ୍ରଭୁ ।
ଏହା ମଧ୍ୟ ପଢନ୍ତୁ...ସ୍ନାନବେଦୀରେ ଶ୍ରୀଜିଉ, ପୁରୀରୁ ଦେଖନ୍ତୁ ସିଧାପ୍ରସାରଣ - SNANA YATRA 2025
ଏହା ମଧ୍ୟ ପଢନ୍ତୁ... ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ଲୋକାରଣ୍ୟ ଶ୍ରୀକ୍ଷେତ୍ର - SNANA YATRA 2025
ଇଟିଭି ଭାରତ, ପୁରୀ