Gopalpur beach cabins Removed ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବରେ ବେଶ ଗୁରୁତ୍ୱ ବହନ କରୁଥିବା ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ରହିବ ଅଗ୍ରାଧିକାର । ଗତ ୧୫ ତାରିଖରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ବୁଧବାର ନିଜେ ଘଟଣାସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଅଧିକରୁ ଅଧିକ ଗୁରୁତ୍ୱ ଦେବା ସହିତ ଏଠାରେ ସୁରକ୍ଷା ବ୍ୟବସ୍ଥା ଆହୁରୀ ବୃଦ୍ଧି କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେପଟେ ଗତ ସରକାରଙ୍କ ସମୟରେ ଗୋପାଳପୁରରେ ବିଚ୍ ସେକ୍ ଖୋଲିବା ପାଇଁ ରହିଥିବା ପ୍ରସ୍ତାବକୁ ଘଟଣା ଘଟିଥିବା ସ୍ଥାନରେ ନିର୍ମାଣ କରାଯାଇ ରଖାଯାଇଥିବା ଚାରୋଟି କ୍ୟାବିନକୁ ତୁରନ୍ତ ହଟାଇବା ସହିତ ସଂପୂର୍ଣ୍ଣ ବେଳାଭୂମିରେ ଆଲୋକିକରଣ କରାଯିବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୋପାଳପୁର ବେଳାଭୂମିରେ ରହିଥିବା ଏହି ପରିତ୍ୟକ୍ତ ଅଞ୍ଚଳରେ ପୂର୍ବ ସରକାରଙ୍କ ଅମଳରେ ବ୍ଲୁ ପ୍ଲାର୍ଗ ବିଚ୍ ନାମରେ ସେଠାରେ ବିଚ୍ ସେକ୍ କରି ମଦ କୋଠୀରେ ବ୍ୟବସାୟ କରିବାକୁ ରହିଥିବା ବେଳେ ତାହାକୁ ସେହି ସମୟରେ ବିରୋଧ କରାଯିବାରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ହେଲେ ସେହି ସ୍ଥାନରେ ଚାରୋଟି କ୍ୟାବିନ୍ କରି ଉକ୍ତ ଅଞ୍ଚଳ ଏକ ପରିତ୍ୟକ୍ତ କରି ରଖାଯାଇଥିବା ବେଳେ ସେଠାରେ କୌଣସି ଆଲୋକିକରଣର ବ୍ୟବସ୍ଥା ନଥିବା ଯୋଗୁଁ ଏହାର ସୁଯୋଗ ଅପରାଧି ମାନେ ନେଇଥିଲେ । ଯାହା ଫଳରେ କ୍ୟାବିନ୍ ଗୁଡିକୁ ତୁରନ୍ତ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ହୋଇଛି । ଖୁବ୍ ଶ୍ରୀଘ୍ର ଉଚ୍ଛେଦ କରିବା ସହିତ ସଂପୂର୍ଣ୍ଣ ଅଞ୍ଚଳରେ ଆଲୋକିକରଣ କରାଯିବାକୁ କୁହାଯାଇଛି ।
ଗୋପାଳପୁର ବେଳାଭୂମିର ଉନ୍ନତିକରଣ ପାଇଁ ଇତିମଧ୍ୟରେ ୩୦ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ଯାହାକି ସେହି ଅନୁଦାନରେ ଉପକୂଳ ସୁରକ୍ଷା ପାଇଁ ବ୍ୟାପକ କରିବା ସହିତ ଆଲୋକସଜ୍ଜା କରିବା ସହିତ ଏହାରି ମାଧ୍ୟମରେ ସୁନ୍ଦର ବେଳାଭୂମି ହୋଇପାରିବ । ଏଣୁ କୌଣସି ପର୍ଯ୍ୟଟକ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଗୋପାଳପୁରରେ ୨୪ ଘଣ୍ଟା ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ସହିତ କୌଣସି ପର୍ଯ୍ୟଟକଙ୍କ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
' ଏହି ଘଟଣା ସଂପୂର୍ଣ୍ଣ ଅମାନବୀୟ ବୋଲି କହିଥିବା ବେଳେ ଘଟଣାର ପୁନରାବୃତ୍ତି ଯେପରି ନଘଟିବ ସେଥିପ୍ରତି ପଦକ୍ଷେପ ନିଆଯିବ । ଏଭଳି ରାକ୍ଷସ ପ୍ରବୃତିର କାର୍ଯ୍ୟ ସମୟରେ ରାଜନୀତି ଗ୍ରହଣୀୟ ନୁହେଁ' ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଏହା ମଧ୍ୟ ପଢନ୍ତୁ-ଗୋପାଳପୁର ଲଜ୍ଜା, ଘଟଣାସ୍ଥଳରେ ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୂତି ଜେନା - GOPALPUR GANG RAPE CASE
ଇଟିଭି ଭାରତ, ବ୍ରହ୍ମପୁର