ନିମାପଡା(ପୁରୀ): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ କାରିଗର ନିଜର କଳାକୃତିରେ ମହାପ୍ରଭୁଙ୍କର ପ୍ରତିକୃତି ତିଆରି କରିଛନ୍ତି । ଅରୁଆ ଚାଉଳରେ ସେ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ରଥ । ଅକ୍ଷତ ଚାଉଳରେ ରଥ ନିର୍ମାଣ କରି ରଥ କାରିଗର ଅକ୍ଷୟ ପ୍ରଶଂସା ସାଉଁଟିଛନ୍ତି । ତେବେ ଏନେଇ ପିପିଲି ଅଞ୍ଚଳରେ ଚର୍ଚ୍ଚାରେ ଅଛନ୍ତି ଅକ୍ଷୟ ।
ପ୍ରତିବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ମହାପ୍ରଭୁଙ୍କୁ ରଥ ବିଭିନ୍ନ ବସ୍ତୁ ଓ ପଦାର୍ଥ ସାହାଯ୍ୟରେ ରଥ ନିର୍ମାଣ କରନ୍ତି ଅକ୍ଷୟ । ଚଳିତ ବର୍ଷ ସେ ଅରୁଆ ଚାଉଳରେ ତିଆରି କରିଛନ୍ତି ମହାପ୍ରଭୁଙ୍କ ରଥ । ଅତି ସୁନ୍ଦର ଭାବରେ ରଥର ଚକ, ଚାରମାଳ, ବାଇଶି ପାହଚ, ପୋଟଳ, ପାରା ଭାଡ଼ି ସହିତ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ପାଖାପାଖି ଦୁଇରୁ ଅଢେଇ ମାସର ଅକ୍ଲାନ୍ତ ପରିଶ୍ରମ ଫଳରେ ଚାଉଳରେ ରଥ ନିର୍ମାଣ କରିଛନ୍ତି ପିପିଲି ଦର୍ଜିସାହିର ଯୁବକ ଅକ୍ଷୟ ମହାପାତ୍ର ।
ଏହା ମଧ୍ୟ ପଢନ୍ତୁ: ରଥଖଳା ଅପଡେଟ: ତିନିରଥର କନ୍ଦର୍ପ ରୂପ ଖୋଦେଇ ଶେଷଦୁଇ ଫୁଟ୍ ଉଚ୍ଚର ଏହି ରଥରେ ଲାଗିଛି ୧୨ଶହ ଗ୍ରାମ ଅରୁଆ ଚାଉଳ । ଚାଉଳକୁ ଅତି ନିଖୁଣ ଭାବରେ ଯୋଡି ଏହି ରଥ ନିର୍ମାଣ କରିଛନ୍ତି ଅକ୍ଷୟ । ଏଥିପାଇଁ ତାଙ୍କୁ ମାଆ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକୁ ନେଇ ବେଶ୍ ଖୁସି ଅଛନ୍ତି ପୁରା ପରିବାର । ଏହା ପୂର୍ବରୁ ସେ ଦିଆସିଲି କାଠି ଓ ସୋଲରେ ନିର୍ମାଣ କରିଥିଲେ ମହାପ୍ରଭୁଙ୍କ ରଥ ଏବଂ ମୂର୍ତ୍ତି । ଯାହାକୁ ନେଇ ଅକ୍ଷୟଙ୍କୁ ଖୁବ୍ ପ୍ରଶଂସା କରିଥିଲେ ଅଞ୍ଚଳବାସୀ । ଅକ୍ଷୟ ଜଣେ ଜଗନ୍ନାଥ ପ୍ରେମୀ ହୋଇଥିବା ବେଳେ ମହାପ୍ରଭୁଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଥିବା ସେ କହିଥିଲେ ।ପିପିଲିର ଶ୍ରୀପତିତପାବନ ମନ୍ଦିରରେ ତାଙ୍କ ପରିବାର ସେବା କାର୍ଯ୍ୟ କରନ୍ତି ଓ ମହାପ୍ରଭୁ ଆଶୀର୍ବାଦ ନହେଲେ ଏଭଳି ନିଖୁଣ କାର୍ଯ୍ୟ ସମ୍ଭବ ନୁହେଁ ବୋଲି ଅକ୍ଷୟ କହିଥିଲେ ।
ଇଟିଭି ଭାରତ, ପୁରୀ
ଏହା ମଧ୍ୟ ପଢନ୍ତୁ: ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ମନଲୋଭା ପଦ୍ମ ବେଶ